ରାକ୍ଷୀ
******
ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ
ମଙ୍ଗଳ ଉତ୍ସବ ରାକ୍ଷୀ ।
ଭାଇ ଭଉଣୀର ସମ୍ପର୍କ କିପରି
ପ୍ରଭୁ ଜଗନ୍ନାଥ ସାକ୍ଷୀ ॥୧॥
ସୁଭଦ୍ରା ଭଉଣୀ ବଳରାମ ଭାଇ
ସଙ୍ଗତେ ଜଗତନାଥ ।
ବଡ଼ ଦେଉଳରେ ପୂଜା ପାଉଛନ୍ତି
ଯୁଗ ଯୁଗ ଧରି ଖ୍ଯାତ ॥୨॥
ଭଉଣୀ ସୁରକ୍ଷା ଭାଇର କର୍ତ୍ତବ୍ୟ
ପୋଥି ପୁରାଣରେ ଲେଖା ।
ଇତିହାସେ ଅଛି ବର୍ଣ୍ଣନା ତାହାର
ଭାଇ ତ ଭଉଣୀ ସଖା ॥୩॥
ବିଷ୍ଣୁଙ୍କ ଭକତ ଦୈତ୍ୟରାଜ ବଳି
ବିପଦରେ ଥିବା ଜାଣି ।
ବଳି ପ୍ରାସାଦକୁ ଚାଲିଗଲେ ବିଷ୍ଣୁ
ତ୍ଯଜି ଲକ୍ଷ୍ମୀ ଠାକୁରାଣୀ ॥୪॥
ବ୍ରାହ୍ମଣୀ ବେଶରେ ମହାଲକ୍ଷ୍ମୀ ନିଜେ
ରାକ୍ଷୀ ବାନ୍ଧି ବଳି ହାତେ ।
କହିଲେ ମୋ ପତି ବୈକୁଣ୍ଠେ ରୁହନ୍ତୁ
କର୍ତ୍ତବ୍ୟ ପାଳ ତୁରିତେ ॥୫॥
ଶିଶୁପାଳ ବଧେ କୃଷ୍ଣଙ୍କ ଅଙ୍ଗୁଳି
ରକ୍ତ ସ୍ରାବ ହେବା ଜାଣି ।
ପିନ୍ଧା ଶାଢ଼ୀ ଚିରି ବାନ୍ଧିଲେ ପାଞ୍ଚାଳୀ
କୃଷ୍ଣ ହସ୍ତେ ସେହି କ୍ଷଣି ॥୬॥
ଶ୍ରୀକୃଷ୍ଣ ଲଭିଲେ ଭଉଣୀର ସ୍ନେହ
ରଖିଲେ ଦ୍ରୌପଦୀ ମାନ ।
କୁରୁସଭା ତଳେ ବସ୍ତ୍ରହରଣରେ
କୋଟି ବସ୍ତ୍ର କଲେ ଦାନ ॥୭॥
ଆଲେକଜାଣ୍ଡାର ଭାରତ ବିଜୟ
ପାଇଁ ହେଲେ ଅଗ୍ରସର ।
ସମ୍ମୁଖୀନ ଯୁଦ୍ଧେ ହେଲେ ପରାଜିତ
ଧନ୍ଯ ପୁରୁ ରାଜାଙ୍କର ॥୮॥
ପୁରୁ ହସ୍ତେ ରାକ୍ଷୀ ବାନ୍ଧିଲେ ରୋକ୍ସାନା
ଆଲେକଜାଣ୍ଡାର ଜାୟା ।
ଭଉଣୀ ରୂପରେ ସ୍ବୀକାରିଲେ ପୁରୁ
ଭୁଲିଗଲେ ସବୁ ମାୟା॥୯॥
ହୁମାୟୁନ ହାତେ ରାକ୍ଷୀ ବାନ୍ଧି ଦେଇ
ମହାରାଣୀ କର୍ଣ୍ଣାବତୀ ।
ବାହାଦୂର ଶାହା ପ୍ରତିହତ ପାଇଁ
ଚିତୋର ସୁରକ୍ଷା ଚିନ୍ତି ॥୧୦॥
ଭାଇ ଭଉଣୀର ସେନେହ ବନ୍ଧନ
ସମ୍ପର୍କର ଡୋରି ରାକ୍ଷୀ ।
ଭାଇ ହାତେ ବାନ୍ଧି ଶପଥ କରାଏ
ବିଭୂ ପାଦେ ଲୟ ରଖି ॥୧୧॥
ଭାଇଟିଏ ପରା ଭଉଣୀ ପାଇଁ ସେ
ସୁଖ ଓ ଦୁଃଖର ସାଥୀ ।
ଭଉଣୀ ଓଠରେ ହସ ଦେଖିବାକୁ
ଲାଗିଥାଏ ଦିନ ରାତି ॥୧୨॥
ଭାଇର ସୁରକ୍ଷା ମନାସି ଭଉଣୀ
ମହାପ୍ରଭୁ ପୂଜା ସାରେ ।
ହସଖୁସି ଭରା ଜୀବନ ଭାଇର
ମଙ୍ଗଳ କାମନା କରେ ॥୧୩॥
ଭାଇ ଭଉଣୀର ମଧୁର ସମ୍ପର୍କେ
ରାକ୍ଷୀ ତ ଅଟଇ ସାକ୍ଷୀ ।
ତିଲକ ଚନ୍ଦନ ଲଗାଇ ମଥାରେ
ହାତେ ବାନ୍ଧି ଦିଏ ରାକ୍ଷୀ ॥୧୪॥
ସଂସାରେ ଅଛନ୍ତି ନାରୀ ଜାତି ପ୍ରତି
କରିଲେ ଭଉଣୀ ମାନ୍ଯ ।
ତାଙ୍କ ସୁରକ୍ଷାରେ ବ୍ରତୀ ହେଲେ ଆମେ
ଏ ଜୀବନ ହେବ ଧନ୍ଯ ॥୧୫॥
*****************************
ଜଗନ୍ନାଥ ପଧାନ
ଖନ୍ଦା, ଲାଉମୁଣ୍ଡା, ବରଗଡ଼
********************
No comments:
Post a Comment