:: ରାକ୍ଷୀ ::
ବାର ମାସ ତେର ପୂର୍ଣ୍ଣିମା ମଧ୍ୟରେ
ଆସଇ ରକ୍ଷା ବନ୍ଧନ
ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କ
ରଖି ଦେଇଯାଏ ମାନ।।
ଧୂପ,ଦୀପ ସହ ଅରୁଆ ଚାଉଳ
ଥାଳିରେ ସଜାଇ ଦେଇ
ରହିଥାଏ ଚାହିଁ ଭାଇ ବାଟକୁ ଭଉଣୀ
ରାକ୍ଷୀଟେ ବାନ୍ଧିବା ପାଇଁ।।
ରକ୍ଷା କରିବା ଏହି ପର୍ବର ଉଦେଶ୍ୟ
ବନ୍ଧନ୍ତି ସଭିଏଁ ରାକ୍ଷୀ
ସୁଭଦ୍ରା ବାନ୍ଧିଲେ କାଳିଆ ହାତରେ
ପାଉଣା ରହିଲା ବାକି।।
ପ୍ରଭୁ ବଳରାମ ଜନ୍ମ ହୋଇଥିଲେ
ପୂର୍ଣ୍ଣିମା ଶ୍ରାବଣ ମାସେ
ସଭିଏଁ ପାଳନ୍ତି ଶ୍ରାବଣ ପୂର୍ଣ୍ଣିମା
ରକ୍ଷା ବନ୍ଧନ ଦିବସେ।।
ତିଳକ ଲଗାଇ ଶୁଭ ମନାସଇ
ଭଉଣୀ ତା ଭାଇ ମୁଣ୍ଡେ
ଉଜ୍ଵଳ ଭବିଷ୍ୟ ,ଲମ୍ବା ଆୟୁଷ ପାଇଁକି
ପ୍ରାର୍ଥନା କରଇ ତୁଣ୍ଡେ।।
ପ୍ରତିଶ୍ରୁତି ଦିଏ ରକ୍ଷା କରିବାକୁ
କଷ୍ଟ ଆଉ ବିପଦରୁ
ମନ ଖୁସି ପାଇଁ ଉପହାର ଦିଏ
ରକ୍ଷା କରିବ ସେ ଦୁଃଖରୁ।।
କରମବତୀ ଦିନେ ବାନ୍ଧିଥିଲେ ରାକ୍ଷୀ
ହ୍ୟୁମାୟୁନ ଙ୍କ ହାତରେ
ସୁରକ୍ଷା କରିବେ ସାହାଯ୍ୟ କରିବେ
ପ୍ରତିଶ୍ରୁତି ଦେଲେ ଥରେ।।
ପ୍ରେମ,ତ୍ୟାଗ ଏବଂ କର୍ତ୍ତବ୍ୟର ପର୍ବ
ଅଟଇ ରାକ୍ଷୀ ପୂର୍ଣ୍ଣମି
ଯେ ଜନ ପାଳନ୍ତି ଏହି ପର୍ବ ନୀତି
ହୁଏ ସମ୍ପର୍କ ଦୃଢ଼ାମୀ।।
ତୋ ମନସ୍କାମନା ପୂରଣ ପାଇଁକି
କରେ ମୁଁ ପ୍ରାର୍ଥନା ନୀତି
ଦୁଃଖ ଭୁଲିଯିବି ତୋ ମୁହଁକୁ ଦେଖି
ଏତିକି ମୋର ବିନତି।।
✍️ବିରେନ୍ଦ୍ର କୁମାର ପାଣି
ସ୍ଥାନ :: ଆଳି,କେନ୍ଦ୍ରାପଡା
No comments:
Post a Comment