** " ସମ୍ପର୍କ " **
ସମ୍ପର୍କରେ କିଏ ହୋଇବ କାହାର,
ହୁଏନା ହଠାତ୍ ଦେଖା ।
କିଏ ଜନ୍ମ ଦିଏ କିଏ ଏଠି ପାଳେ,
ସେ ପରା ଆଗରୁ ଲେଖା ।।୦।।
ସମ୍ପର୍କର ସୀମା ନାହିଁ ଏଠି ଜମା,
ସବୁ ତ ଗୋଟେ ମାଆର ।
ଏଇ ବସୁଧାରେ ଜନମ ଯେତେରେ,
ସବୁ ଗୋଟେ ପରିବାର ।।୧।।
କେବେ ସେ ସମ୍ପର୍କ ହୋଇଯାଏ ଗଢି,
ପଶୁ ମଣିଷ ଭିତରେ ।
କେବେ ପୁଣି ସିଏ ହୋଇଯାଏ ଗଢି,
ଗଛଲତାଙ୍କ ସଙ୍ଗରେ ।।୨।।
କେବେ ସେ ସମ୍ପର୍କ ଗଢିଉଠେ ଏଠି,
ମାଟି ଆକାଶ ସାଥିରେ ।
କେବେ ସେ ପାହାଡ ଝରଣା ତ ପୁଣି,
କେବେ ନଦୀ ସାଗରରେ ।।୩।।
କେବେ ବାପା,ବୋଉ,ଭାଇ ଓ ଭଉଣୀ,
ଦାଦା,ଖୁଡୀ,ଜେଜେ, ମାଆ ।
କେବେ ଶଳା,ଶାଳି,ଶାଶୁ ଓ ଶଶୁର,
ନଣଦ,ଭାଉଜ,ଜାଆ ।।୪।।
ଭଣଜା,ଭାଣିଜି,ଝିଆରୀ, ପୁତୁରା,
ମାମୁଁ, ମାଇଁ, ଅଜା, ଆଇ ।
କେବେ ସେ ଦିଅର,କେବେ ଦେଢଶୁର,
କେବେ ଦେଢଶାଶୁ ହୋଇ ।।୫।।
କେବେ ଗୁରୁ ଶିଷ୍ୟ,କେବେ ପୁଣି ବନ୍ଧୁ,
କେବେ ଭକ୍ତ ଭଗବାନ ।
କେବେ ତ ମାଲିକ, କେବେ ସେ ଚାକର,
କେବେ ବଡ କେବେ ସାନ ।।୬।।
ରଖିଥା ବିଶ୍ବାସ ମମତା ବନ୍ଧନ,
ଚଳୁଥିବା ନେଇ ମନ ।
ଟିକିଏ ଗରବ ଅହଙ୍କାର ହେଲେ,
ସମ୍ପର୍କଟା ହୁଏ ଲୀନ ।।୭।।
ପରିବାର ସହ ରହିନି ସୀମିତ,
ମମତାର ଲମ୍ବା ଡୋରି ।
ଦେଶ ବିଦେଶରେ ଏ ସାରା ବିଶ୍ୱରେ,
ବାନ୍ଧିଛି ସମ୍ପର୍କ ଡୋରି ।।୮।।
କେବେ ସେ ସମ୍ପର୍କ ଦିଏ ହସ ଖୁସି,
କେବେ ପୁଣି ଦିଏ ଲୁହ ।
କେବେ ଲାଗିରହେ ହୃଦୟ ଭିତରେ,
କେବେ ଚାହେଁ ନାହିଁ ମୁହଁ ।।୯।।
ତଥାପି ଭାଙ୍ଗନି କେବେବି ସମ୍ପର୍କ,
କଥା ନ ହୋଇଲେ ନାଇ ।
ଗୋଳିଆ ପାଣିଟା ପିଇ ହୁଏ ନାହିଁ,
ନିଆଁ ଲିଭାଇ ଦିଅଇ ।।୧୦।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା,କଣାସ, ପୁରୀ, ୭୫୨୦୧୯
No comments:
Post a Comment