★★★(ସମ୍ପର୍କ)★★★
ବିଚିତ୍ର ସୃଷ୍ଟିର ଅତୁଟ ନିୟମ
ରଖେ ଏକତାର ସମ
ଦିନ ପରେ ରାତି, ରାତି ପରେ ଦିନ
ଏହା ସୃଷ୍ଟି ର ନିୟମ
ସକଳ ଜଗତ ହିତେ ଦିବାକର
ପୂର୍ବ ଦିଗେ ଥାଏ ଉଇଁ
ପୁଣି ଲେଉଟିବା ଆଶା ଯେ ସଞ୍ଚରି
ପଶ୍ଚିମ ଦିଗେ ବୁଡଇ
ସରୋବରେ ଥାଏ କୁସୁମ ଙ୍କ ମେଳ
ପ୍ରଥମ କିରଣ ଚାହିଁ
ଅଙ୍କାବଙ୍କା ନଇ ଯାଉଥାଏ ବହି
ସାଗରେ ମିଶିବା ପାଇଁ
ପତ୍ର, ପୁଷ୍ପ, ଫଳ ବୃକ୍ଷ ର ଦେହରେ
ଦିଶେ ଅଳଙ୍କାର ପ୍ରାୟ
ନୀଡ଼ ଟିଏ ଗଢି ବଂଚିବା ଆଶାରେ
ନେଉଛି ପକ୍ଷୀ ଆଶ୍ରୟ
ଫୁଲ ଓ ଭ୍ରମର ସମ୍ପର୍କ ନିଆରା
ଦୁହିଁଙ୍କର ଦୁହେଁ ସାଥି
ବସନ୍ତେ କୋଇଲି ଗାଉଥାଏ ଗିତ
ଖୁସିମନେ ଦିନରାତି
ପିତାମାତା ଓ ଗୁରୁଜନ ମହୋର
ସମସ୍ତେ ଦେବତା ତୁଲ୍ୟ
ତାଙ୍କରି ଆଶିଷେ ଜୀବନେ ମହୋର
ଭରିଯାଏ କେତେ ମୂଲ୍ୟ
ପୁଅ ଝିଅ ଙ୍କର ଆଶା ଓ ଭରସା
ପିତାମାତା ଦୁଇ ଜଣ
ତାଙ୍କରି ପରସେ ଦୁନିଆ ଟା ହସେ
ସୁଖରେ କଟଇ ଦିନ
ପ୍ରେମିକା, ପ୍ରେମିକ ସମ୍ପର୍କ ର ମନେ
ବିଶ୍ୱାସ ଓ ଭରସାର
ନିର୍ଜୀବ କୁ ପୁଣି ଜୀବନ୍ତ କରେ ସେ
ପ୍ରେମ ଆସ୍ଥା ର ସାଗର
ବନ୍ଧୁ, ପ୍ରିୟଜନ ହୃଦୟ ସମାନ
ଥାଏ ଯଦି ସୁସମ୍ପର୍କ
ତାଙ୍କରି ସାହସେ ମନେ ଭରିଯାଏ
ଭାଇଚାରା ର ମହକ
ବୃଦ୍ଧଜନ ଙ୍କର ଆଶା ବାଡ଼ି ଟିଏ
ଦେଖାଏ ଦୁନିଆ ବାଟ
ଦୁନିଆ ହେଉଛି ରଙ୍ଗମଞ୍ଚ ଶାଳା
ଜୀବନ ଟା ଏକ ନାଟ
ଜଗତର ନାଥ କାଳିଆ ସାଆନ୍ତ
ଭକତ ତାହାରି ବନ୍ଧୁ
ଭାବ ରେ ନିକଟ, ଅଭାବକୁ ଦୂର
ହୃଦୟ ଦୟାର ସିନ୍ଧୁ
ଅତୁଟ ବନ୍ଧନ, ବିଶ୍ୱାସ, ସମ୍ପର୍କ
ତୁଟିବା ନୁହେଁ ସମ୍ଭବ
ସୃଷ୍ଟିର ନିୟମେ ସ୍ନେହ, ଶ୍ରଦ୍ଧା, ଭକ୍ତି
ସଂସାରରେ ଥାଏ ଭାବ
****************************
ଆଶିଷ କୁମାର ବାରିକ
ଶିକ୍ଷକ
ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାହାବଲ
ସିହିନୀ ବେଳପଡା ବଲାଙ୍ଗୀର
9938330874/ 9438051786
***************************
No comments:
Post a Comment