-------++++---------
ଚରଣେ ଯାହାର ମରାଳମାଳିନୀ
ଶିର ରେ ସୁନାର କ୍ଷେତ,
ବାମାଙ୍ଗେ ଉଦ୍ଧବ ଧ୍ୟାନରେ ନିମଗ୍ନ
ଦକ୍ଷିଣାଙ୍ଗେ ତାରା ମାତ !
ହୃଦୟରେ ସ୍ୱୟଂ ଦେବ ମହାଦେବ
ପଶ୍ଚିମାଭିମୁଖୀ ହୋଇ,
ଅକର୍ମରେ କର୍ମ ଦେଇଚାଲିଛନ୍ତି
ଐଶାନ୍ୟ କୋଣରେ ରହି !
ହୃଦକୁ ଯେପରି ସୁରକ୍ଷା ଦିଅଇ
ଚବିଶି ପିଞ୍ଜରା କାଠି,
ଗ୍ରାମକୁ ସେପରି ଜଗି ରହିଛନ୍ତି
କେତେ ଗ୍ରାମଦେବୀ ଏଠି !
ଶୁଭ ସକାଳ ର ବାରତା ଯେଉଁଠି
ଦିଅଇ ହାତର ଚୁଡ଼ି,
ଭାଗବତ ଘରୁ ଜଣାପଡେ ଯହିଁ
ଆସିଲାଣି ସଞ୍ଜ ମାଡି !
ଝଗଡା ଝାମେଲା ଯେଉଁଠାରେ ଭାଇ
କଥାରେ କଥାରେ ତୁଟେ,
ଗୁରୁ ଗୁରୁଜନ ଦେଖିଲେ ଯେଉଁଠି
ଚାଟ ଟିଏ ବାଟ କାଟେ l
ବାରମାସ ସାରା ତେର ପରବରେ
ହସୁଥାଏ ଗାଁ' ମୋର,
ଯବନ ହେଉ କି ସନାତନ ହେଉ
ନଥାଏ ବାଛ ବିଚାର l
ହିନ୍ଦୁ ମନ୍ଦିରରେ ଯବନର ଭୋଗ
ପହିଲି ଧୂପରେ ଲାଗେ,
ଭାଇଚାରାର ଏ ଅପୂର୍ଵ ସଂସ୍କୃତି
ଦେଖି ହୃଦେ ପ୍ରେମ ଜାଗେ l
ଫଗୁଣର ଫଗୁ ପ୍ରଥମେ ପ୍ରେମିକ
ପ୍ରେମିକା ଗାଲରେ ବୋଳେ,
ବଡବଡୁଆଙ୍କ କାମନା ମନାସି
ସାଙ୍ଗ ହୋଇ ଦୀପ ଜାଳେ l
ଗୁରୁବାର ହେଲେ ଚାଉଳ ଚୁନାରେ
ପ୍ରେମିକା ଆଙ୍କଇ ଝୋଟି,
ନଈପଠା ଆଡେ ବିଳମ୍ବରେ ଗଲେ
ମିଛରେ ପକାଏ କଟି l
ରାକ୍ଷୀ ବାନ୍ଧିଦେଇ ଭଉଣୀ ଯେଉଁଠି
ଆଶୀର୍ବାଦ ଟିଏ ମାଗେ,
ଚାକିରି କରିଲେ ଦାମିକିଆ ଜାମା
ଦେବୁ କହେ ଭାଇ ଆଗେ !
ଜନମ ଦିନରେ ଯେଉଁଠାରେ ପରା
ପାଲା କିରିତନ ହୁଏ,
ଦୀପ ଧୂପ ଜାଳି ନବଜାତଟିଏ
ଗୁରୁଙ୍କ ଆଶିଷ ପାଏ l
ଯାହାର ପବନେ ମଧୁରତା ଅଛି
ମାଟିଟା ପିୟୁଷ ତୁଲ,
ସେଇ ମୋର ମା' ସେଇ ମୋର ଗାଁ
ନୁହେଁକେ ତା' ସମତୁଲ l
ସେଇ ଗାଁ ରେ ମୁଁ ଜନମ ହୋଇଛି
ସେଇ ମୋ ଜନମ ଭୂମି,
ମୋ ଦେହେ ବହୁଛି ତା ପାଣି ପବନ
ଶିରା ପ୍ରଶିରାକୁ ଚୁମି l
ଉମାକାନ୍ତ ଦଳାଇ
*ଭୂଷଣ୍ଡପୁର*, ଖୋର୍ଦ୍ଧା
7735068090
No comments:
Post a Comment