ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ପ୍ରଦ୍ୟୁମ୍ନ ପଟ୍ଟନାୟକ , ଖୋର୍ଦ୍ଧା


   ::: ସମ୍ପର୍କ :::

ସମ୍ପର୍କ ନୁହଁ
             ସ୍ୱଳ୍ପ ଦିନର ପରିଚୟ
             ଅଳୀକ ସୁଖର ଅଭିନୟ
             ଅପରିଚିତ ସହ 'ଏକ' ରାତ୍ରି ଯାପନ
             ବିବିଧ ସଂଭୋଗ ଅଭିଯାନ ।
             ଅହଙ୍କାରୀ ପୁରୁଷର
             ଅବାଞ୍ଛିତ ଅଧିକାର
             ନିଜସ୍ଵ ଆତ୍ମାର ବିସର୍ଜନ
             ଶ୍ଵାସରୁଦ୍ଧ ସଂସାରୀ ବନ୍ଧନ।
            
ସମ୍ପର୍କ ଏକ
             ପ୍ରତିଶ୍ରୁତି ଜୀବନ ସାଥୀର
             ଅପୂର୍ଣ୍ଣତାରୁ ପୂର୍ଣ୍ଣତାର
             ମହାର୍ଘ ଅନ୍ୱେଷଣ।
             ଦୁଇ ମନ ଦୁଇ ପ୍ରାଣ
             ମିଳନ ସଂକେତ
             ପାର୍ଥିବ ଶରୀରେ
             ଅପ୍ରତିମ ସମ୍ମୋହନ।
             ଏକ ସଙ୍ଗେ ଆଜୀବନ
             ଜିଇଁବାର ଅଟଳ ପ୍ରତିଜ୍ଞା
             ପରସ୍ପର ନିଃସର୍ତ ସମର୍ପଣ।
            
ସମ୍ପର୍କ ପୁଣି
            ଅଲିଖିତ ଚୁକ୍ତିପତ୍ର
            ବିଶ୍ୱାସର ଅତୁଟ ବନ୍ଧନ।
            ଅସୁମାରି ଆଶାର ଅରୁଣ ସ୍ତମ୍ଭ।
            ଭରସାର ଆଇନାରେ ସ୍ଵଛ ପ୍ରତିବିମ୍ବ।
           
            କେବେ ଯଦି ଝଲକାଏ
            ଅବିଶ୍ୱାସର ପବନ
            ଛିଣ୍ଡାଇ ଦିଏ ଭରସାର ସୁକ୍ଷ୍ମ ରଜ୍ଜୁ
            ଇତସ୍ତତଃ କରେ ସବୁ ସ୍ୱପ୍ନ
            ମାନ ଅଭିମାନ
            ଜନ୍ମ ଦିଏ ଘୃଣା ଅପମାନ
            ତଥାପି କେଉଁ ଅଦୃଶ୍ୟ ଆକର୍ଷଣ
            ଭିଡି ରଖେ ଫିଟି ଯାଉଥିବା ଫାସ ସବୁ
            ସମ୍ପର୍କର ଦ୍ୱାହି ଦେଇ ଫେରାଇ ଆଣେ
            ଭଟକି ଯାଇଥିବା କୃତଘ୍ନ ଆଖିକୁ।

             ବୁଝିବି ହୁଏନା ବୁଝି
             ସମ୍ପର୍କଟା ଏତେ ନମନୀୟ
             କ୍ଷଣକେ ମିଳାଇ ଯାଏ
             ବୁଦ ବୁଦ ପରାଏ
             ପୁଣି କେବେ ପ୍ରଲମ୍ବିତ
             ଯୋଜନ ଯୋଜନ ଦୂର
             ବୟସର ସୀମା ଡେଇଁ
             ଜନ୍ମ ଜନ୍ମାନ୍ତର।

           *********************
           
ପ୍ରଦ୍ୟୁମ୍ନ ପଟ୍ଟନାୟକ
ଭୁବନେଶ୍ୱର
୯୯୬୮୨୮୦୮୯୬

No comments: