॥ ସମ୍ପର୍କ ॥
ଚେନାଏ ପୃଥ୍ବୀ,କାଣିଚାଏ ପାଣି
ଚିମୁଟେ ଲୁଣ ଭିତରେ ଫେଣ୍ଟି ହୋଇ ଯାଉଥିବା
ଏ ମଧୁର ସମ୍ପର୍କଟାକୁ ବୁଝିବା ବି ବଡ଼ ମୁସ୍କିଲ୍
କାଲି ରାତିରେ ଏ ଜହ୍ନଦେଖି ଖୁସିରେ ମସଗୁଲ ଥିଲା ବେଳେ
କେହି ଧିରେ ମୋ କାନପାଖରେ
ଫୁସଫୁସ୍ କରି କହିଗଲା
ରାତି ସହ ଏ ଜହ୍ନର ଅଭେଦ୍ୟ ସମ୍ପର୍କ
ଜହ୍ନ ଦେହରେ କଳଙ୍କଛିଟା
ମଧୁରାତିରେ ଏଠି ବଧୂହୁଏ ଫେରାର୍
ଦୋଷ ଦେବା ନାଁ'ରେ ସିନା ସେ ନାରୀଟାକୁ ଭୁଲ କହି ବସନ୍ତି
କିନ୍ତୁ, ଏ ସମ୍ପର୍କଟା ପା ଏମିତି !!!
ବାଲି,ସିମେଣ୍ଟ୍, କଂକ୍ରିଟି ରାସ୍ତାରେ
କାଦୁଅ ଲଗା ଫଟା ପାଦର ଚାଲି
ବୁଝିନବୁଝିଲା ପରି ସମ୍ପର୍କଟା ବି
ଫଟା ଗୋଇଠି ଧରି ଢେର ବାଟ ଚାଲେ
ବୈଶାଖର ଡହଡହ ତାତି,
ମୋଡ ବୁଲୁଥିବା କଣ୍ଟକିଟ ରାହରେ ପାଦ ଥୋଉ ଥୋଉ ସେ ରକ୍ତାକ୍ତ ହୁଏ
ତଥାପି ତା ଭାଗର ଖିସିତକ ତା ଭାଗରେ ପଡନ୍ତିନି
ସେ ସେମିତି ଖୋଜିଚାଲେ ଆଗକୁ ଆଗକୁ ପାଦଥାପେ
କିନ୍ତୁ ଏଠି ସମ୍ପର୍କର ହୁଏ ଅପହରଣ
ଲୋଭର ଶୀକାର ହୁଏ ଦୁଇଟା ଆଖି
ସମ୍ପର୍କ ଭାଙ୍ଗି ଢେର ଆଗକୁ ବଢିଚାଲନ୍ତି ଦୁଇ ହାତ
ଥଳକୁଳ ପାଉନଥିବା କେଇଟା ଆତ୍ମୀୟ ବଇରୀ ସାଜି
ଲିଭାଇ ବସନ୍ତି ସେ ଜଳନ୍ତା ଦୀପ
ଅନ୍ଧାର ଘରେ ରାହନପାଇ
ଦ୍ବାରବନ୍ଧର ଜୀବନ କାଟେ ସମ୍ପର୍କ ।
ହଁ ସମ୍ପର୍କ ଏବେ ବନ୍ଦିର ଜୀବନ କାଟୁଛି
ଅର୍ଥ ଲୋଭରେ ଆମେ ଅନ୍ଧ
ମାଟି,ପାଣି,ପବନକୁ ବି ଅଣନିଶ୍ବାସୀ କରିଥିବା ଲୋକ ଆମେ
ସମ୍ପର୍କ କୁବୁଝି ନବୁଝିବା ଅଭିନୟରେ
ଆମେ ହରେଇ ଚାଲିଛନ୍ତି ଏକ ସ୍ବପ୍ନୀଳପୃଥ୍ବୀ,ମଧୁର ସମ୍ପର୍କ ଆଉ ଆମ ଚାରିପାଖରେ ଏକଡସେକଡ ହୋଇ ଘୁରିବୁଲୁଥିବା ଏକ ହସଖୁସିର ଶୈଶବ ॥
ଲୋପାମୁଦ୍ରା ନାୟକ (ମିତାଲି)
କଳିଙ୍ଗନଗର,ଯାଜପୁର
No comments:
Post a Comment