:: ବୃକ୍ଷ ମୋର ବନ୍ଧୁ ::
ଜୀବନର ସତ ସେତୁ ଜୀବନ ହେତୁ
ବିହି ବିରଚିତ ଚାରୁ।
ଦାନର ଦେହାଧି ଜୀବନ୍ତ ଦେବତା
ମହୀ ଆତ୍ମା ଅଟେ ତରୁ।।
ଅନାବିଳ ପ୍ରେମର ଅଦ୍ବୈତ ନାୟକ
ସମର୍ପଣର ସେବା ଅମୃତ।
ଆଜନ୍ମ ମରଣ ପର ଉପକାର ପାଇଁ
ରହିଥାଏ ନିୟୋଜିତ।।
ମହୀରୁହ ହିଁ ମହାନ ଜୀବନର ମାନ
ତାର ମହତ ହିତ ପଣିଆ।
କହିଲେ ଚଳିବ ଜୀବ ଜଗତ ପାଇଁ
ଦେବ ମହୀଜ ହିଁ ଗୁଣିଆ।।
ମାଗେ ନାହିଁ କିଛି ଦିଏ ଖୋଦ୍ ଜାଚି
ଯାହା ଅଛି ତା ପାଖରେ।
ତଥାପି ମଣିଷ କାଟି ପକାଉଛି ତାକୁ
ସ୍ବାର୍ଥ ଶାଣିତ ଧାରରେ।।
ସ୍ବୟଂ ଖରା ଖାଇ ପରୋଷଇ ଛାଇ
ଗ୍ରୀଷ୍ମ ତାତିରୁ ବଞ୍ଚାଏ।
ଭକ୍ଷି ଅଙ୍ଗାରକାମ୍ଳ ଦିଏ ଅମ୍ଳଜାନ
ଭାବି ସଭିଙ୍କୁ ନିଜର ପୋଏ।।
ଚେର ମୂଳ ଗଣ୍ଡି ବକ୍କଳ ଡାଳ ପତର
ଫଳ ଫୁଲ ଗୁଣକାରୀ ଦେହି।
ବର୍ଷାକୁ ବରି ସେ ଆଣିଲେ ହିଁ ପରା
ହସେ ଧରା ତୋଷ ହୋଇ।।
ଜୀବ ଜଗତ ଆଧାର ଖଗଙ୍କର ଘର
ଧରାର ସବୁଜ ଶାଢୀ ।
ଆମକୁ ଦିଏ ଶ୍ରୀସ୍ବାସ୍ଥ୍ଯ ନିରୋଗତା
ଦିଏ ନିର୍ମଳ ବାୟୁ ବାଢି।।
ତା ଅନ୍ତରାଳେ ଖେଳେ ସାଲୁବାଲୁ ହୋଇ।
ସହାର୍ଦ୍ଦ ଅମିୟ ସିନ୍ଧୁ।
ତା'ପାଖରେ କିଏ ନୁହେଁ
ପର କି ଆପଣା
ଚାଲ ଲଗାଇବା ବୃକ୍ଷ ଟିଏ ହେ.....!
ସେ କରୁଣାସିକ୍ତ ସଂସ୍ରବର ସତ ସହଚର
ବାସ୍ତବରେ ସେ ତୁମର ତାହାର
ଆଉ ମୋହର ବନ୍ଧୁ।।
ତା ବିନା ରୋଗ ଶୋକ ଦୁର୍ଦ୍ଦିନ ଝଡରେ
ବିକାଶର ବେହ୍ଯା ବିଶେଷତା ଝଡି ଯିବ
ପକ୍ବ ଫଳ ଟିଏ ପରି
ଆମେ ହନ୍ତସନ୍ତ ହୋଇ ମରିଯିବା
ନିଜକୁ ନିନ୍ଦୁ ନିନ୍ଦୁ।
ସୁରେନ୍ଦ୍ର ନାଥ ସାହୁ
କଳମ୍ବ(ଡିହସାହି),
ପୋଲସରା,
ଗଞ୍ଜାମ,
୭୬୧୧୦୫
ମୋ.ନଂ:-୮୧୨୮୯୧୯୨୫୬
No comments:
Post a Comment