ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ସୌଭାଗ୍ୟବତୀ ଗିରି , କେନ୍ଦ୍ରାପଡ଼ା


           ରଜପର୍ବ


    ●ରାଗ - ରାମକେରୀ●
●କହିବକି ଟିକେ ସଭିଏଁ ଯେତେକ ସୁଧିଜନ
ରଜପରବଟି ଏଥର କାହିଁ ଦିଶେ ଶ୍ରୀହୀନ(୧)
ଏହା ତ କରମର ଫଳ ନୁହେଁ ସ୍ରଷ୍ଟାଙ୍କଦାନ
ସ୍ରଷ୍ଟାଙ୍କ ଉପରେ କାହିଁକି କରିବା ଅଭିମାନ(୨)
ମାନିଲେନି ଦିଅଁଦେବତା ଭାଗ୍ୟ ଓ ଭଗବାନ
ବୟୋଜ୍ୟେଷ୍ଠଙ୍କୁ ତ କରିଲେ ସର୍ବଦା ହେୟଜ୍ଞାନ(୩)
କଳକାରଖାନା ନିଇତି ଆମେ କଲେ ନିର୍ମାଣ
କରୋନା କ୍ରବ୍ୟାଦ କରିଲେ ଆମେ ଯେ ଆମନ୍ତ୍ରଣ(୪)
ଦେଖ କେମିତି ସେ ଜଗିଛି ଆଜି ଆମ ଅୟନ
ଦେଖିପାରେ ନାହିଁ ତାକୁ ତ ଆମ ବେନି ନୟନ(୫)
ଘର ବାହାରଟା ସାଜିଛି ଅସୁରକ୍ଷିତ ସ୍ଥାନ
ବାହାରେ ନ ଯାଇ କରିବା ଗୃହେ ରଜପାଳନ(୬)
ନବବସ୍ତ୍ର ପଛେ ନଥାଉ ପିନ୍ଧି ସଫାବସନ
ସଫାସୁତର ରଖୁଥିବା ସଦା ନିଜ ସଦନ(୭)
ରଜଦୋଳି ପୁଚି ନଖେଳୁ ଅବା ନ ଖାଉ ପାନ
ପୋଡପିଠା ନହେଲା ନାହିଁ ଖାଇ ଖାଦ୍ୟ ସୁଷମ(୮)
ପ୍ରକୃତି ତ ନଷ୍ଟ କରିଛେ କରି ବୃକ୍ଷଛେଦନ
ଦୋଳି ବାନ୍ଧିବାକୁ କାହିଁକି ଏବେ ମନ ଉଚ୍ଛନ (୯)
ବନସ୍ତରେ ଗଜ ଡାକୁନି ଶୁଭେ ତା'ର କ୍ରନ୍ଦନ
ଆମେ ତା ବିଶ୍ୱାସରେ ବିଷ ଦେଇ କଲେ ଦହନ(୧୦)
ସମୟ ଆସିଛି ଆଜି ତ ଆମେ ଦେବା ପ୍ରମାଣ
ଷୋହଳଶୃଙ୍ଗାର ବିନା ବି ନାରୀ ଅଟେ ଶୋଭନ(୧୧)
ଘୋଡେଇକି ସଦା ରଖିବା ଆଖି ନାକ ଓ କାନ
ମେହେନ୍ଦି ସ୍ଥାନେ ସାନିଟାଇଜର କରି ଲେପନ(୧୨)
ସଚେତନ ରହି ନକଲେ ଆମେ ରଜପାଳନ
ରଜମଉଜରେ ଆମର ଲାଗିଯିବ ଗ୍ରହଣ (୧୩)
କରୋନା କ୍ରବ୍ୟାଦ ଆମକୁ କରିନେବ ଭକ୍ଷଣ
ଦୂରେ ଥାଇ ସବୁ କରିବେ ଆମକୁ ଯେ ଦର୍ଶନ(୧୪)
ହରେଇବା ଆମେ ଅଚିରେ ଆମ ନିଜ ଜୀବନ
ପରିବାର ବନ୍ଧୁବର୍ଗଙ୍କ ଭିଜିଯିବ ନୟନ  (୧୫)
ସୁଧିଜନେ ଶୁଣୁଥାଅଟି ଦେଇ ମନ ଓ କର୍ଣ
ସଚେତନ ରହି ବଞ୍ଚାଇବା ନିଜର ଜୀବନ(୧୬)●


ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା

No comments: