ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ପ୍ରଦ୍ୟୁମ୍ନ ପଟ୍ଟନାୟକ , ଖୋର୍ଦ୍ଧା


           ' ଦେଶପ୍ରେମୀ '

କେତେ ପୂଣ୍ୟ ବଳେ ଏ ଦେଶ ମାଟିରେ
ନେଇଅଛେ ଯେତେ ଜନ୍ମ
ତାର ସେବା ଲାଗି ଜୀବନ ହାରିବା
ସବୁଠାରୁ ବଡ଼ ଧର୍ମ।

ଦେଶ  ଦଶ ଲାଗି କିଛି କାମ କରି
ବୋଲାଇବା ଦେଶପ୍ରେମୀ
ସଫଳ ହୋଇବ ଆମରି ଜୀବନ
ବିକଶିବ ଜନ୍ମ ଭୂମୀ ।

ସୀମାରେ ସୈନିକ କ୍ଷେତରେ କୃଷକ
ଶ୍ରମିକ ଭଉଣୀ ଭାଇ
କଳକାରଖାନା ଗ୍ରାମ ବା ସହରେ
ଯିଏ ଥାଉ ଅବା ଯହିଁ।

ସକଳେ କରିବା ନିଜ ନିଜ କର୍ମ
ନିଷ୍ଠା ସହୃଦୟ ବହି
ଜାତି ଧର୍ମ ବର୍ଣ୍ଣ ଆଞ୍ଚଳିକ ଭେଦ
ବିବାଦ ନଥିବ ତହିଁ।

ଦୈବି ଦୁର୍ବିପାକ ଘରୋଇ କଳହ
ପୁଣି ବିଦେଶୀ ଆତଙ୍କ
ଦିନପରେ ଦିନ ଲାଗିତ ରହିଛି
ଆକ୍ରମଣ ବିଦେଶୀଙ୍କ।

କରି ପରାହତ ସମସ୍ତ ବିପଦ
ହେବାପାଇଁ କାଳଜୟୀ
ହସିହସି କେତେ ମୂର୍ଛନ୍ତି ପ୍ରାଣକୁ
ଦେଶ ମାତୃକାର ପାଇଁ।

ଦେଶର ଉନ୍ନତି ପଥେ ହେବା ବ୍ରତୀ
ସତ୍ୟ ଧର୍ମ ଭାବ ନେଇ
ଭିକାରୀ ବେକାରୀ ଅନୀତି ଦୁର୍ନୀତି
କଳୁଷକୁ ଦେବା ଧୋଇ।

ବାଳୁତ ଶୋଷଣ ନାରୀ ଉତ୍ପୀଡ଼ନ
ଆଦି ଯେତେ ହୀନକର୍ମ
ସମାଜରୁ ଯେବେ ନହେଲା ଅନ୍ତର
କି ଲାଭ ସେ ଦେଶ ପ୍ରେମ।

ରାଜନୀତି ହେଉ ଅବା ପ୍ରଶାସନ
କିଅବା ସମାଜ ସେବା
ସ୍ୱାର୍ଥହୀନ ଯେବେ ନହୋଇଲା ତେବେ
ବୃଥା ସେ ପ୍ରୟାସ ଯିବା।

ଦେଶହିତ ଲାଗି କରୁଥିଲେ କର୍ମ
ଯେତେ ସବୁ ଆମେ କର୍ମୀ
ତେବେଯାଇ ଆମେ ନିଜକୁ ଗଣିବା
ଜଣେ ଜଣେ ଦେଶପ୍ରେମୀ।

^^^^^^^^^^^^^^^^^^^^
ପ୍ରଦ୍ୟୁମ୍ନ ପଟ୍ଟନାୟକ
୧୦୧,  ପ୍ରକାଶଦୀପ ଟାୱାର, ଜୟଦୁର୍ଗା ନଗର
ଭୁବନେଶ୍ୱର-୦୬

No comments: