▪କୃଷକ▪
ମୁଁ ଗୋଟେ କୃଷକ କୃଷି ମୋ ଜୀବିକା
କରୁଛି ସଦା ମୁଁ ଜଗତ ହିତ
ସାରା ଦୁନିଆକୁ ଆହାର ଯୋଗାଏ
କାମ ଅଟେ ମୋର ଭାରି ମହତ
ଦୁ:ଖଦାରିଦ୍ର୍ୟରେ ହୋଇ ନିଷ୍ପେଷିତ
କାନ୍ଦୁଥାଏ ପଛେ ମୁହିଁ ଗୁମୁରି
ମନେ ନୂଆ ଆଶା ନୂଆ ସ୍ୱପ୍ନ ଭରି
ଚାଷ କରିବାକୁ ଯାଏ ବାହାରି
ମୁହିଁ ଯଦି କେବେ ବିଲକୁ ନଯାଏ
ସାଜେ ଯଦି କେବେ ମୁଁ ଅଭିମାନୀ
ଭୋକରେ ଆଉଟୁପାଉଟୁ ହେବରେ
ବନ୍ଦ ହେବ ତୁମ ଦାନା ଓ ପାଣି
ମୁହିଁ ଯଦି କେବେ କରେ ଆତ୍ମହତ୍ୟା
ବୁଡିଯାଇ ପୁଣି ଋଣଭାରରେ
ଚାଷୀଟାଏ ମଲା କା'ର କ'ଣ ଗଲା
ଏମିତି ଭାବନା ମନଭିତରେ
ବେଳ ଥାଉଥାଉ ବୁଝିଯାଅ ସର୍ବେ
ଚାଷକାମ ଅଟେ ବଢିଆ ଭାରି
ଚାଷକାମ ଆଗେ ସବୁ ସିନା ଫିକା
ଦୁନିଆରେ ଅଛି ଯେତେ ଚାକିରୀ
ସରକାର ଯଦି ସଚେତନ ହୋଇ
ଯୋଗାଇ ଦିଅନ୍ତେ ସବୁ ସୁବିଧା
ଦୂର ହୋଇଯାନ୍ତା ଚାଷକାମେ ଥିବା
ଯେତେ କଷ୍ଟ ଆଉ ଯେତେକ ବାଧା
ସର୍କାରୀ ଯୋଜନା କାଗଜେ ନରହି
ପହଞ୍ଚିବ ଯଦି ମୋ ପାଖରେ
ଖାଦ୍ୟାଭାବ ଏଠି ସାତସ୍ୱପ୍ନ ହେବ
ଭୋକେ ରହିବେନି କେହି ଜଣେରେ
ଯେତେଦିନ ଯାଏ ମୁହିଁ ହସୁଥିବି
ମୁହେଁ ଥିବ ମୋର ଖୁସି ହରଷ
ସେତେଦିନ ଯାଏ ତୁମେ ହସୁଥିବ
ବିତୁଥିବ କେତେ ମାସ ବରଷ
ଚାଷ ଓ ଚାଷୀର ବିନା ସବୁ ଛାର
ଚାଷ ବିନା କେବେ ପେଟ ପୁରେନା
ଚାଷୀଭାଇ ବିନା ଜୀବନ ଅନ୍ଧାର
ତାଙ୍କୁ ହେୟଜ୍ଞାନ କେବେ କରନା
ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା
No comments:
Post a Comment