🌹🌹 " କୃଷକ"🌹🌹
କାହାଣୀ କେ ଲେଖେ କଲମ ମୁନରେ
କାଗଜ ଖଣ୍ଡିଏ ଧରି
କୃଷକ ଭାଇ ମୋ ଲେଖୁଛି କାହାଣୀ
ଲଙ୍ଗଳ ମୁନରେ ଯାଇ l1l
ମାଟି କାଗଜରେ ଲେଖୁଛି କାହାଣୀ
ଲଙ୍ଗଳ କଲମ ଧରି
ସେଇ କାହାଣୀର ପ୍ରତି ପୃଷ୍ଠା ଭିଜା
ଲହୁ ଲୁହ ତାର ମିଶି l2l
ସପନ ବୁଣଇ ଆଶା ମଞ୍ଜି ନେଇ
ନିୟତି କୁ ରଖି ସାକ୍ଷୀ
ଜାଣେନା ସେ ସ୍ବପ୍ନ ସତ ଅବା ମିଛ
ରହିଛି ଯା କୁ ଅନାଇ l3l
ହେଉ ଖରା ବର୍ଷା ଶୀତ କି କାକର
କାଳ ବୈଶାଖୀର ଝାଞ୍ଜି
କୃଷକ ଭାଇ ମୋ କରେ ଚାଷ କାମ
ତାକୁ ନ କରି ଖାତିରି l4l
ଘନ ଘନ କର୍ଷେ ଅବନୀ ର ବକ୍ଷ
ସୁନା ଫଳାଇବା ପାଇଁ
ତା ସୁନା ଫସଲେ ଏ ଦୁନିଆ ବନ୍ଧା
ଜୀଵନ ଧାରିବା ପାଇଁ l5l
ଜୀବନଟା ତାର ଅଭାବରେ ପୂର୍ଣ୍ଣ
ହସୁଥାଏ ଦୁଃଖ ଢାଙ୍କି
ବୁଭୁକ୍ଷୁ ଜ୍ୱାଳା ରେ ସ୍ୱଆହୂତି ଦେଇ
ଅନ୍ୟକୁ ରଖେ ବଞ୍ଚାଇ l6l
ଘରେ ତାର ଚାଲେ ଆଣ୍ଠୁଏ ଲହଡି
ଚାଳ ଯାଇଅଛି ଉଡି
ତଥାପି ସେ କରେ ପ୍ରାର୍ଥନା ନିଈତି
ବର୍ଷା ପାଇଁ ଅଣ୍ଟା ଭିଡି l7l
ନିଦାଘର ଗ୍ରୀଷ୍ମ, ଶ୍ରାବଣର ବାରି
ହେଉ ହାଡ଼ଭଙ୍ଗା ଶୀତ
ଜୀଵନଟା ତାର ଯାଏ କଟି କ୍ଷେତେ
ସେ
ପୁଅ ମାଆ ମାଟିର l8l
ଗୁହାରି ମୋହର ଆହେ ଜଗନ୍ନାଥ
ମନ ଦେଇ ଟିକେ ଶୁଣ
ତାର ଅଭିଳାଷ କର ପରିପୂର୍ଣ
ନେଇ ମୋର ଏ ଆୟୁଷ l9l
କୃଷକ ଭାଇ ମୋ ଚାଷ କାମ କରି
ଦୁନିଆ କୁ ଦିଏ ଅନ୍ନ
ଷାଠିଏ ପଉଟି ଭୋଗରେ କାଳିଆ
ତାର ବଡ଼ ଯୋଗଦାନ l10l
ମାଟିର ମହକ ଦୁନିଆରେ ଶ୍ରେଷ୍ଠ
ତାପରି ନାହିଁ କେ ବାସ
ସେ ବାସ କୁ ଯିଏ ବୁଝିଥାଏ ନିଶ୍ଚେ
ସିଏ ହିଁ ଜଣେ କୃଷକ l11l
(ସୌମ୍ୟ ରଞ୍ଜନ ସାହୁ, ଖଣ୍ଡବନ୍ଧ, ଢେଙ୍କାନାଳ )
No comments:
Post a Comment