ସମ୍ପର୍କ
*********************
ଛୋଟଥିଲା ପୁଅ ଭଲ ଥିଲା
ଝାଟିମାଟି ଘରେ
ଜେଜେମା କୋଳରେ
ଗପ ଶୁଣୁଶୁଣୁ
ଅତି ଆନନ୍ଦରେ
ନିଦ ମାଉସୀକୁ ଭେଟୁଥିଲା ।।
ଗାଁ ଚଟଶାଳୀ ନୀତି କେତେ କଳି
ବାଲିଘର ତୋଳି ଭାଙ୍ଗୁଥିଲା
ବାପା କାନ୍ଧେ ବସି ଯାନି ଯାତରାରୁ
ବାରମଜା କିଣି ଖାଉଥିଲା ।।
ଗାଁ ଅଗଣାରେ ରଜଦୋଳି ଖେଳ
କବାଡିର ମଜା ନେଉଥିଲା
ଦୋଳ ମେଳଣରେ ପୁନେଇ ତିଥିରେ
କୁଆଁରୀଙ୍କ ଗୀତ ଶୁଣୁଥିଲା ।।
ବାଡ଼ି ବରକୋଳି ବର ଓଳ ଦୋଳି
ସାଙ୍ଗ ସାଥୀ ମେଳେ କଟୁଥିଲା
ଭଲ ପାଠ ପଢି ମଧୁ ବାବୁପରି
ହାକିମ ହେବାକୁ ସ୍ବପ୍ନ ଥିଲା ।।
ବଡ ହେଲା ଦିନେ ସେହି ପିଲା
ସହରକୁ ପାଠ ପଢି ଗଲା
ମାନସ ପଟରେ ଆଙ୍କିଲା ସପନ
ଗାଁ' ମାଟି ସୁନା ହୋଇଗଲା ।।
ସମୟ ଚକର ଭସା ବାଦଲରେ
ଇନ୍ଦ୍ରଧନୁ କାହିଁ ଲୁଚିଗଲା
ସହରର ପାଣି ବିଶ୍ଲେରିରୁ କିଣି
ସହରୀ ବାବୁଟେ ବନିଗଲା ।।
ସହରୀ ବାବୁର ଗାଁର ସମ୍ପର୍କ
ଘନ କୁହୁଡ଼ିରେ ହଜିଗଲା
ବାପା ବୋଉ ଭୁଲି ଶାଶୁ ଶଶୁରଙ୍କୁ
ଡାଡି ମମିରେ ସେ ଖୁସି ଦେଲା।।
ମା' ଆଖିର ଲୁହ ଛାତି ଫଟା କୋହ
କଳା ଚଷମାରେ ଛପିଗଲା
ସ୍ତ୍ରୀ ବୋଲକରା ପର ଅନ୍ନ ଖିଆ
ଘର ଜୋଇଁଆଟେ ହୋଇଗଲା।।
ବୁଢ଼ା ବାପତାର ନାତି ଦେଖାପାଇଁ
ବିଶ୍ୱସ୍ତ ଚାକର ବନିଗଲା
ବହୁ ସାଆନ୍ତାଣୀ ସହରୀ ଡାହାଣୀ
ବୁଢା ରକ୍ତ ଶୋଷି ପିଇଗଲା।।
ହେଲା କରୋନା ଛୁଟି ବେଳ ସୀନା
ସହରୀ ବାବୁଙ୍କୁ କାଳ ହେଲା
ମାଟି କାଦୁଅର ମଫସଲ ଗାଁ
ଅଜାଣତେ ମନେ ପଡିଗଲା।।
ମୃତ୍ୟୁ ବିଭୀଷିକା ତାଣ୍ଡବ ରଚିଲା
ସେଥିପାଇଁ ବାବୁ ଆସିଗଲା
ଝାଟିମାଟି ଘରେ ମାଟି ଅଗଣାରେ
ସହରୀ ବାବୁଟି ବସିଗଲା।।
ଜରାଜୀର୍ଣ୍ଣ ବାପ ଶଯ୍ୟାରୁ କଡେଇ
ଅନ୍ଧୁଣି ବୁଢ଼ୀକୁ କହୁଥିଲା
ବିତିଗଲା ସିନା ତିରିଶ ଫଗୁଣ
ଛୋଟ ଥିଲା ପୁଅ ଭଲଥିଲା ।।
ଅଭିମାନ କରି ପୁଅର କୋଳରେ
ବାପ ମାଆ ଦୁହେଁ ଶୋଇଗଲେ
ଶେଷ ନିଶ୍ୱାସକୁ ଛାଡିବା ଆଗରୁ
ସମ୍ପର୍କର ଅର୍ଥ କହିଗଲେ ।।
ଛୋଟ ଥିଲା ପୁଅ ଭଲ ଥିଲା,
ବଡ ହେଲାପରେ ରଙ୍ଗ ବଦଳାଇ
ଧନର ମାୟାରେ, ଗର୍ବ ଅହଂକାରେ
ଅତୁଟ ସମ୍ପର୍କକୁ ଭାଙ୍ଗିଦେଲା
ଛୋଟ ଥିଲା ପୁଅ ଭଲ ଥିଲା ।।
ପ୍ରଶାନ୍ତ କୁମାର ସେଠୀ,
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୦୫/୦୭/୨୦୨୦
No comments:
Post a Comment