:: ମୋ ଜନ୍ମଭୂମି ::
ହିମଗିରି ଯା'ର ମଥାର ଶିରିପା
ସାଗର ଚରଣ ଧୁଏ,
ପ୍ରାଣଠୁଁ ପ୍ରିୟ ମୋ ଜନ୍ମଭୂମି ସେ
ତା' ସମ କେହି ନୁହେଁ।
ଭାଷା ତ ଅନେକ ଭୂଷା ଅନେକ
ପ୍ରଥା ପରମ୍ପରା ଧର୍ମ ଅନେକ
ଗୋଟିଏ ଭୂଖଣ୍ଡ ଗୋଟିଏ ଜାତି
ଆମ ସାର୍ବଭୌମ ଆମ ସଂହତି
ଏକରେ ଅନେକ ଅନେକରେ ଏକ
ସ୍ବପ୍ନ ଦେଖଇ ଯିଏ,
ପ୍ରାଣଠୁଁ ପ୍ରିୟ ମୋ ଜନ୍ମଭୂମି ସେ
ତା' ସମ କେହି ନୁହେଁ।
ମନଲୋଭା ତା'ର ପାଣିପବନ
ଶୋଭା ସତେ ଅବା ନନ୍ଦନ ବନ
ତାଜମହଲ ବା କୋଣାର୍କ କାର୍ଯ୍ୟ
ଉତ୍କର୍ଷ ଶୀର୍ଷରେ ଯା'ର ଭାସ୍କର୍ଯ୍ୟ
ନୃତ୍ୟ ସଂଗୀତ ଯା'ସବୁଠୁଁ ମଧୁର
ଜନମନ ମୋହିନିଏ,
ପ୍ରାଣଠୁଁ ପ୍ରିୟ ମୋ ଜନ୍ମଭୂମି ସେ
ତା' ସମ କେହି ନୁହେଁ।
ବୁଦ୍ଧ, ମହାବୀର ଅମର ବାଣୀ
ଆକବର-ବୀରବଲ୍ଲ କାହାଣୀ
ବିକ୍ରମ-ବେତାଳ, ଜାତକ କଥା
ବେଦ, ପୁରାଣ ଓ ଶାସ୍ତ୍ର, ସଂହିତା
ବିଶ୍ବଭ୍ରାତୃତ୍ବର ବନ୍ଦନା ଗାଇ
ବିଶ୍ବକୁ ଆଲୋକ ଦିଏ,
ପ୍ରାଣଠୁଁ ପ୍ରିୟ ମୋ ଜନ୍ମଭୂମି ସେ
ତା' ସମ କେହି ନୁହେଁ।
ଆଲେକଜାଣ୍ଡାର ନୁଆଁଏ ମଥା
ଚଣ୍ଡାଶୋକୁ ଧର୍ମାଶୋକର ଗାଥା
ହଟିଛି ବ୍ରିଟିଶ ଏଇଠୁ ଦିନେ
ଚୀନ୍ ତ ଏବେ ପାଇଛି ପାନେ
ବୀର ପ୍ରସବିନୀ ଚରଣ ତଳେ ତା'
ବାରମ୍ବାର ମଥା ନଏଁ,
ପ୍ରାଣଠୁଁ ପ୍ରିୟ ମୋ ଜନ୍ମଭୂମି ସେ
ତା' ସମ କେହି ନୁହେଁ।
ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ।
ପିନ୍: ୭୬୧୧୦୫
ମୋ: ୯୮୬୧୭୩୨୨୫୬
No comments:
Post a Comment