ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ନିବେଦିତା ମହାପାତ୍ର - ପୁରୀ


         ମାତୃଶକ୍ତି


ଯା' ପାଦ ତଳେ ରହିଛି ମୋର ଚାରିଧାମ
କିଏ ବା ପାରିବ ହୋଇ ଜଗତେ ତା' ସମ
ବସୁନ୍ଧରା ପରି ସର୍ବଂସହା ସେହି ନାରୀ
ଜନମ ଦେଇଛି ଦଶମାସ ଗର୍ଭେ ଧରି
ନିଜ ରକତ ନିଗାଡି କରିଛି ପାଳନ
ତା' ପାଇଁ ମିଳିଛି ଏଇ ଅମୂଲ୍ୟ ଜୀବନ॥

କୁହୁକ ପରସ ଭରି ରହିଛି ତା' ହାତେ
ଅମରାବତୀର ସୁଖ ମିଳଇ ପଣତେ
ଅଳି ଅଝଟ ସବୁକୁ ସହିଯାଏ ମୋର
ପଲକରେ କରିଦିଏ ଦୁଃଖ ଯେତେ ଦୂର
କରୁଣାମୟୀ ଜନନୀ ଅନେକ ତା' ରୂପ
ସାଥୀ,ଭଗ୍ନୀ,ଦୁହିତା ଆଦି କେତେ ସ୍ବରୂପ॥

ନିଷ୍କପଟ ନିଷ୍କଳଙ୍କ ପ୍ରେମର ଭଣ୍ତାର
ମମତା ବନ୍ଧନେ କରେ ସଭିଙ୍କୁ ନିଜର
ଅଭୟ ଦାନ ଦେଇ କରେ କଣ୍ଟାକୁ ଫୁଲ
ପାରିବେନି କେହି ସୁଝି ତା' ସ୍ନେହର ମୂଲ
ଯୁଗେଯୁଗେ ଜଗତ କରୁଛି ଯା'ର ଭକ୍ତି
ସର୍ବ ଶକ୍ତି ସ୍ବରୂପିଣୀ ସେହି ମାତୃଶକ୍ତି॥

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,
ଗୋପିନାଥପୁର,
ପୁରୀ

No comments: